
ଏପ୍ରିଲ ପହିଲାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ରାଜ୍ୟ ବାହାରେ ଉନ୍ନତ ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା ଫଳପ୍ରଦ ହୋଇଥାନ୍ତା ବୋଲି କହିଥିଲେ ସରକାର । କ୍ଷମତାକୁ ଆସିବା ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ)ର ନାମ ବଦଳାଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କଲେ । ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ସମ୍ମିଶ୍ରଣରେ ନୂଆ କାର୍ଡ଼ ହିତାଧିକାରୀଙ୍କୁ ଦିଆଯିବା କଥା । ହେଲେ ଗୋଟିଏ ଆସ୍ୟୁଡ ସ୍କିମ ଓ ଅନ୍ୟଟି ଇନସ୍ୟୁଡ ସ୍କିମ ହୋଇଥିବାରୁ କନଭର୍ଜେନ୍ସରେ ବୈଷୟିକ ସମସ୍ୟା ଦେଖାଦେଇଛି । ୧୫ ଦିନ ମଧ୍ୟରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆୟୁଷ୍ମାନ ଭାରତ ଯୋଜନାର ଡେଡଲାଇନ ଫେଲ୍ ମାରିଥିବା ବେଳେ, ରାଜ୍ୟରେ ନୂଆ ମଦ ନୀତି ପାଇଁ ବି ଏପ୍ରିଲ ପହିଲାକୁ ଦିନ ଧାର୍ଯ୍ୟ ହୋଇଥିଲା, ତାହା ବି ଫେଲ୍ ମାରିଛି । ଏପଟେ ଓଡ଼ିଶା ଦିବସକୁ କଳାଦିବସ ଭାବେ ପାଳନ କରିଛନ୍ତି ନୂତନ ପେନସନଭୁକ୍ତ ସରକାରୀ କର୍ମଚାରୀ । ପୁରୁଣା ପେନସନ ଦାବିରେ ଲକ୍ଷ ଲକ୍ଷ କର୍ମଚାରୀ ସୋସିଆଲ ମିଡିଆରେ ଓଡ଼ିଶା ଦିବସକୁ କଳା ଦିବସ ଭାବେ ଅଭିହିତ କରିଛନ୍ତି । ନ୍ୟାସନାଲ ପେନସନ ସିଷ୍ଟମ ନୁହେଁ କି କେନ୍ଦ୍ର ଦ୍ବାରା ଲଦି ଦିଆଯାଇଥିବା ୟୁନିଭର୍ସାଲ ପେନସନ ସିଷ୍ଟମ ନୁହେଁ, କେବଳ ପୁରୁଣା ପେନସନ୍ ସିଷ୍ଟମ ଦରକାର ବୋଲି ଦାବି କରିଛନ୍ତି ସରକାରୀ କର୍ମଚାରୀ